
ଅଠରନଳା ହେଉଛି ଓଡ଼ିଶା ପୁରୀଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ । ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ ।
ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ ।
ଅଠର ନଳା ପହଞ୍ଚିଗଲେ ଶ୍ରଦ୍ଧାଳୁ ତଥା ଯାତ୍ରୀମାନେ
ଶ୍ରୀକ୍ଷେତ୍ରର ଖୁବ ନିକଟତର ହୋଇଗଲେ ବୋଲି ଭାବିଥାନ୍ତି । ଅଠର ନଳାଠାରୁ ଶ୍ରୀମନ୍ଦିରର
ନୀଳଚକ୍ର ଓ ଦଧିନଉତି ଦୃଶ୍ୟମାନ ହୁଏ ।
ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା । ସେଥିପାଇଁ ରଥଯାତ୍ରାରେ
ମହାପ୍ରଭୁ ତିନି ରଥରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ । ସେଠାରୁ ମାଳିନୀ ନଦୀ ପାର ହୋଇ
ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । ମାଳିନୀ ନଦୀ ପୋତି ଦିଆଯିବାପରେ ଛଅଟି ରଥ
ନହୋଇ ତିନୋଟି ରଥରେ ଯାତ୍ରା ହେଲା । ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ
ମୁଣ୍ଡରେ ଅର୍ଥାତ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା । ଉକ୍ତ ଶାଖା
ନଦୀକୁ ମୁଷା ନଦୀ କୁହାଯାଉଥିଲା । ପୁରୀକୁ ଯାତ୍ରୀମାନେ ଆସିଲେ ନଦୀ ଘାଟରେ ଅପେକ୍ଷା
କରିବାକୁ ପଡୁଥିଲା । ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ
ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା । ଯାତାୟତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର
ରାଜା ଦ୍ୱିତୀୟ ନରସିଂହଦେବ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ
ନିର୍ମାଣ କରିଥିଲେ ଯାହାକି ଅଠର ନଳା ନାମରେ ପ୍ରସିଦ୍ଧ ହୋଇଥିଲା । ଅନ୍ୟ ଏକ ତଥ୍ୟ ଆଧାରରେ
ଗଙ୍ଗ ବଂଶର ରାଜା ଭାନୁଦେବଙ୍କଦ୍ୱାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ।
କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି
ବାରମ୍ବାର ବିଫଳ ହେବାପରେ ନିଜର ଅଠରଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି
କରିବାକୁ ସକ୍ଷମ ହୋଇଥିଲେ । ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀଷ୍ଟାବ୍ଦ ୯୭୫-
୯୯୫) ମଧୁପୁର ନଦୀ (ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏହି ପୋଲ ନିର୍ମାଣ କରାଇଥିଲେ । ଏ
ପୋଲରେ ୧୮ଟି ଫୁକାର ଅଛି ଏ ଫୁକାରମାନ ଖିଲାଣକାମ ନହୋଇ ପଥରମାନଙ୍କଦ୍ୱାରା ଲହଡ଼ିମୁଦ
କରାଯାଇ ତିଆରି ହୋଇଥିଲା।
ବୈଶିଷ୍ଟ୍ୟ
ଏହି ପୋଲରେ ୧୯ ଖମ୍ବ ରହିଥିବା ବେଳେ ପାଣି ଯିବାପାଇଁ ୧୮ଟି ନଳା ରହିଛି । ଏହାର ଲମ୍ବ ୮୫
ମିଟର ଓ ଓସାର ୧୧ ମିଟର । ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ୧୩୦୦
ମସିହାରେ ଏହି ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ । ଏଥିରେ ଥିବା ଖିଲଣଗୁଡ଼ିକ ୧୬
ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ
କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି
କରାଯାଇଛି ।
ଅତୀତର ସୁରକ୍ଷା ବ୍ୟବସ୍ଥା
ଅତୀତରେ ଶ୍ରୀକ୍ଷେତ୍ରରେ ୧୪ଟି ଘାଟ ମଧ୍ୟରୁ ୧୦ଟି ନଦୀ ଘାଟ ହୋଇଥିବା ବେଳେ ୪ଟି
ସମୁଦ୍ର ଘାଟ ଅଟେ । ନଦୀ ଘାଟ ମଧ୍ୟରୁ ଅଠର ନଳାର ପ୍ରସିଦ୍ଧି ଥିଲା । ଶ୍ରୀକ୍ଷେତ୍ର ଓ
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଜପତିମହାରାଜ ପ୍ରତି ଘାଟରେ ପ୍ରତିହାରୀ ସେବକମାନଙ୍କୁ
ନିଯୁକ୍ତ କରିଥିଲେ । ସେମାନଙ୍କୁ ଘାଟ ଦ୍ୱାର ପ୍ରତିହାରୀ କୁହାଯାଉଥିଲା । ସେମାନେ ପାଳି କରି
୨୪ ଘଣ୍ଟା ଘାଟ ଜଗୁଥିଲେ ।