[ ଦ୍ର ] ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତତ୍ରୟ ଉପରେ ପାଣି ଢଳା ହୋଇ ତାଙ୍କୁ ସ୍ନାନ କରାଯାଏ; ତେଣୁ ସେ ମୂର୍ତ୍ତିମାନଙ୍କ ଉପରୁ ରଙ୍ଗ ଛାଡ଼ିଯାଏ। ମୂର୍ତ୍ତିମାନଙ୍କୁ ସ୍ନାନମଣ୍ଡପରୁ ନେଇ ଗୋଟିଏ 'ଗୁମୁଟ' ଘରେ ରଖି, ସେହିଠାରେ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚିତ୍ରକାରମାନେ ଚିତ୍ର କରନ୍ତି। ରଙ୍ଗ କରାଯାଉଥିବା ମୂର୍ତ୍ତିଙ୍କ ସମ୍ମୁଖରେ ଗୋଟିଏ ତାଟି (ଅଣସର ତାଟି) ଡେରା ହୋଇଥାଏ। ମୂର୍ତ୍ତିମାନେ ସ୍ନାନ କରିବାକୁ ତାଙ୍କୁ ଶରଦ ଧରିଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ ଓ ସେ ସମୟରେ ଯାତ୍ରୀମାନେ ମୂର୍ତ୍ତିମାନଙ୍କୁ ସାକ୍ଷାତ ଦର୍ଶନ ନ କରି, ଅଣସର ତାଟିକୁ ଦର୍ଶନ କରନ୍ତି।